ନିମାପଡ଼ାର  ୨୪୦ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା ପାଇଁ ଗ୍ରାମସଭାରେ ପ୍ରସ୍ତାବ ଗୃହ

ତା ୨.୯. (ଏ.ପି ନିୟୁଜ), ପବିତ୍ର ଗାନ୍ଧୀ ଜୟନ୍ତୀ ରେ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଥିବା ୨୪୦ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ନିମନ୍ତେ ନିମାପଡାର ପ୍ରାୟ ସମସ୍ତ ୩୨ ଟି ଗ୍ରାମପଞ୍ଚାୟତରେ  ଗ୍ରାମସଭା ଅନୁଷ୍ଠିତ  ହୋଇ ପ୍ରସ୍ତାବ ଗୃହୀତ  ହୋଇଛି। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ପଞ୍ଚାୟତିରାଜ ବ୍ୟବସ୍ଥାର କର୍ମକର୍ତ୍ତା ଓ  ସମାଜ ମଙ୍ଗଳ ସଂଗଠନ, ସାମାଜିକ ସଂଗଠନ ମିଳିତ ଭାବେ କାର୍ଯ୍ୟକରୁଛନ୍ତି ।ସୂଚନା ଅନୁଯାୟୀ ଆଜି ନିମାପଡାର ସମସ୍ତ ୩୨ଟିଯାକ ଗ୍ରାମ ପଞ୍ଚାୟତରେ ଗ୍ରାମ ସଭା କରାଯାଇ ଗତ ତା ୦୧.୦୧.୨୦୨୫ ରିଖ ଠାରୁ ବାଲ୍ୟ ବିବାହ ହୋଇନଥିବା ଗ୍ରାମ ମାନଙ୍କୁ ଚିହ୍ନଟ କରି ଅତି କମରେ ୨୪୦ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇ ବିଧିବଦ୍ଧ ଭାବେ ପ୍ରସ୍ତାବ ନିଆ ଯାଇଛି। ଗ୍ରାମ ସଭାରେ ବାଲ୍ୟ ବିବାହ ମୁକ୍ତ ଘୋଷିତ ଗ୍ରାମ ମାନଙ୍କ ପାଇଁ ସାର୍ଟିଫିକେଟ ମଧ୍ୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଦ୍ଵାରା ସ୍ୱାକ୍ଷରିତ ହୋଇଯାଇଛି।ପରବର୍ତ୍ତୀ ଅବସ୍ଥାରେ ଏହି ସାର୍ଟିଫିକେଟ ଗୁଡ଼ିକ ବ୍ଲକ୍ ସ୍ତରରେ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳ ଙ୍କ ଦ୍ଵାରା ସ୍ୱାକ୍ଷରିତ ହେବାପରେ ଏହି ଗ୍ରାମମାନେ ବାଲ୍ୟ ବିବାହ ମୁକ୍ତ ଗ୍ରାମର ମାନ୍ୟତା ଲାଭ କରିବେ।। ୨୦୩୦ ମସିହା ସୁଦ୍ଧା ଭାରତବର୍ଷ କୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଆମ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଏହି ସମୟ ସୀମାର ଅବ୍ୟବହିତ ପୂର୍ବରୁ ନିମାପଡ଼ା କୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ଲକ୍ ପ୍ରଶାସନ ପଞ୍ଚାୟତିରାଜ ବ୍ୟବସ୍ଥାର କର୍ମକର୍ତ୍ତା ଓ ସମସ୍ତ ସାମାଜିକ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ନିମାପଡ଼ା ବ୍ଲକ ଉନ୍ନୟନ ଅଧିକାରୀ  ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲାରେ ବର୍ତ୍ତମାନ ସମୟରେ ପ୍ରାୟ ଶତକଡା ୧୨ ଭାଗ ପିଲା ବିବାହ ବୟସ ପୂର୍ବରୁ ବିବାହ କରୁଛନ୍ତି ବୋଲି ସଦ୍ୟ ପ୍ରକାଶିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଯଦି ଜିଲ୍ଲା ପ୍ରଶାସନ ସହିତ, ସ୍ବେଚ୍ଛାସେବୀ ସଂଗଠନ, ପଞ୍ଚାୟତରାଜ ବ୍ୟବସ୍ଥାର କର୍ମକର୍ତ୍ତା ଓ ଯୁବ ସମାଜ ଏକତ୍ର ହୋଇ କାର୍ଯ୍ୟ କରନ୍ତି ତେବେ ଜିଲ୍ଲା କୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଆଉ ବେଶିଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ର ସଦସ୍ୟ ରୁଚିକା ସମାଜ ମଙ୍ଗଳ ସଂଗଠନ ର ମୁଖ୍ୟ କାର୍ଯୟନିର୍ବାହୀ ଅଧିକାରୀ ଡ. ବେଣୁଧର ସେନାପତି କହିଛନ୍ତି। କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଂଶଗ୍ରହଣ କରିଥିଲେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ତନୁପ୍ରଭା ବେଉରା ଓ  ମାଧବୀ ମହାପାତ୍ର,  ଜିଲ୍ଲା ସଂଯୋଜକ ଶ୍ରୀ ହେମନ୍ତ କୁମାର ଦାଶ।ଏହା ପ୍ରକାଶ ଯୋଗ୍ୟ ଯେ କଷ୍ଟ ରାଇଟ୍ସ ଫର୍ ଚିଲ୍ଡରେନ ଆଲାଏନ୍ସ ଓ ଭାରତ ସରକାରଙ୍କ ମିଳିତ ପ୍ରୟାସ କ୍ରମେ ସମଗ୍ର ବିଶ୍ୱକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ନିକଟରେ ମିଳିତ ଜାତିସଂଘ ନଭେମ୍ବର ୨୭ ତାରିଖକୁ ଅନ୍ତର୍ଜାତୀୟ ବାଲ୍ୟ ବିବାହ ନିରୋଧ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *