ନିମାପଡ଼ା, ୧୭/୯ (ଏ.ପି ନିୟୁଜ)) ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାଟପୁର ମୈାଜାର କିଆକଣ୍ଟା ଠାରେ ପ୍ରସ୍ତାବିତ ଗୋଶାଳା ନିର୍ମାଣକୁ ପରିଷଦ ଅନ୍ତର୍ଗତ ତିନୋଟି ୱାର୍ଡ଼ ବାସୀ ଦୃଢ ବିରୋଧ କରି ପତ୍ର ଦେଇଥିବା ଜଣାପଡ଼ିଛି। ଏସଂପର୍କରେ ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ,ପୁରୀ ଜିଲାପାଳ, ତହସିଲଦାର ନିମାପଡ଼ା, ଏନ.ଏ.ସି କର୍ତ୍ତୁପକ୍ଷଙ୍କୁ ଦାବୀ ପତ୍ର ଗତ ୧୬ ତାରିଖରେ ଦେଇଛନ୍ତି। ଗୋଶାଳା ନିର୍ମାଣ ନିଷ୍ପତିକୁ ବିରୋଧ କରି ପରିଷଦ ଅନ୍ତର୍ଗତ ଏକ ନଂ ୱାର୍ଡ଼ ଦୁଇନଂ ୱାର୍ଡ଼ ଓ ତିନିନଂ ୱାର୍ଡ଼ ର କୈଳାସ ଚନ୍ଦ୍ର ଛାଟୋଇ, ବୈରାଗୀ ଛାଟୋଇ , କୃଷ୍ଣଚନ୍ଦ୍ର ସ୍ବାଇଁ , ନକୂଳ ମଳିକ ପ୍ରମୁଖଙ୍କ ସହ ଅନ୍ୟଶତାଧିକ ଗ୍ରାମବାସୀ ପତ୍ର ଦେଇଥିବା ସୁଚନା ପ୍ରକାଶ ପାଇଛି। ମିଳିଥିବା ସଚାନାରୁ ପ୍ରକାଶ ନିମାପଡ଼ା ତହସିଲ ତଥା ପରିଷଦ ଅନ୍ତର୍ଗତ ପାଟପୁର ମୈାଜାର କିଆକଣ୍ଟା ଗ୍ରାମ ନିକଟରେ ଥିବା ଖାତା ନଂ ୫୯୩ , ପ୍ଲଟ ନଂ ୩୧୦, ଦୁଇ ଏକର ଅନାବାଦି ଜମି ଉପରେ ଗୋ ଶାଳା ନିର୍ମାଣ ହେବାପାଇଁ ପରିଷଦ ପକ୍ଷରୁ ପ୍ରଶାସନିକ ସ୍ତରରେ ନିଷ୍ପତି ନିଆଯାଇଛି। ପ୍ରସ୍ତାବିତ ଗୋ ଶାଳା ନିର୍ମାଣ ସ୍ଥାନଟି ଏକ ଜନବହୁଳ ଅଞ୍ଚଳ ଅଟେ। ଗୋଶାଳା ନିର୍ମାଣ ହେଲେ ତିନୋଟି ୱାର୍ଡ଼ ମଧ୍ୟରେ ଥିବା ଗ୍ରାମ ଗୁଡ଼ିକର ପରିବେଷ ଦୂଷିତ ହେବାର ଆଶଙ୍କା ଦେଖା ଦେବାସହ ରାସ୍ତାଘାଟ ଗୁଡ଼ିକ କର୍ଦ୍ଦମାକ୍ତ ହେବ, ଗୋଶାଳାର ମଳମୁତ୍ରରେ ଦୁର୍ଗନ୍ଧମୟ ପରିବେଷ ସୃଷ୍ଟିହେବ ବୋଲି ଅଭିଯୋଗକାରୀମାନେ ମତ ଦେଇଛନ୍ତି। ତିନୋଟି ୱାର୍ଡ଼ର ଜନସାଧାରଣ ମତ ଦେଇଛନ୍ତି କିଆକଣ୍ଟା ଗ୍ରାମ ନିକଟରେ ଏକ ଘରୋଇ ବିଦ୍ୟାଳୟ ରହିଛି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବା ପାଇଁ ସ୍ଥିର କରାଯାଇଛି। ଗୋଶାଳା ନିର୍ମାଣକୁ ବିରୋଧକରି ପ୍ରସ୍ତାବିତ ଗୋଶାଳା ନିର୍ମାଣ ପରିବର୍ତ୍ତେ ଉକ୍ତ ସ୍ଥାନରେ ଏକ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ଅନ୍ୟ ଜନହିତକର ପ୍ରକଳ୍ପ ନିର୍ମାଣ କରିବାକୁ , ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ନିକଟରେ କିଆକଣ୍ଟା ଗ୍ରାମବାସୀମାନେ ନିବେଦନ କରି ପତ୍ର ଲେଖିଛନ୍ତି।














Leave a Reply